ଗୀତା ଏକ ସୁଖଦ ଅନୁଭୂତି
୨୦୨୦ ମସିହା, ଡିସେମ୍ବର ମାସ, କରୋନା ର ଭୟାବହତା ସାରା ବିଶ୍ୱକୁ ଗ୍ରାସ କରିଥାଏ । କରୋନା ର କରାଳ ଦୃଶ୍ୟ ଚତୁର୍ଦ୍ଦିଗ ରେ ଦୃଶ୍ୟମାନ ହେଉଥାଏ । ଏପରି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆବାଳବୃଦ୍ଧବନିତା ଗୃହ ବନ୍ଦୀ ହୋଇ ଏକ ପ୍ରକାର ମାନସିକ ଅବସାଦ ର ଶିକାର ହୋଇଥାନ୍ତି। ଏପରି ସମୟରେ ଅନ୍ଲାଇନ୍ ସତ୍ ସଙ୍ଗ ର ଅବସର ସନ୍ଧାନ କରୁକରୁ ହଠାତ୍ ହ୍ୱାଟ୍ସଆପ୍ ରେ ଆସିଥିବା ଏକ ଆଧ୍ୟାତ୍ମିକ ଗ୍ରୁପ୍ ରୁ ଗୀତା ପରିବାର ଦ୍ୱାରା ଆୟୋଜିତ ହେଉଥିବା ଏକ ଅନ୍ଲାଇନ୍ ଗୀତା ର ଶୁଦ୍ଧ ଉଚ୍ଚାରଣ କକ୍ଷା ସମ୍ପର୍କିତ ଏକ ଆଡଭର୍ଟାଇଜମେଣ୍ଟ ଟିଏ ମୋର ଦୃଷ୍ଟିଗୋଚର ହୁଏ । ବାରମ୍ବାର ମେସେଜ୍ ଟିକୁ ମୁଁ ଅଣଦେଖା କରୁଥାଏ । ହଠାତ୍ ଦିନେ ଭଲଭାବରେ ମେସେଜ୍ ଟିକୁ ପଢେ ଓ ସେଥିରେ ଥିବା ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋ ଟି ମୋତେ ଆକୃଷ୍ଟ କରେ । ଆଉ କିଛି ନ ଭାବି ସଙ୍ଗେ ସଙ୍ଗେ ଲିଙ୍କ୍ ଟିକୁ ଖୋଲି ନିଜ ନାମ ପଞ୍ଜିକରଣ କରାଇନିଏ। ତତ୍ ପରେ ସ୍ତର ଅନୁଯାୟୀ ପ୍ରଥମ(L1) କକ୍ଷା ପ୍ରାରମ୍ଭ ହୁଏ । ପିଲାଟି ଦିନରୁ ପ୍ରତି ଦିନ ଅଭ୍ୟାସ କରିଆସୁଥିବା ଗୀତା ର ଶ୍ଳୋକ ଗୁଡ଼ିକର ଶୁଦ୍ଧ ଉଚ୍ଚାରଣ ଶିଖିବାର ଏହି ସୁବର୍ଣ୍ଣ ସୁଯୋଗ ଟିକୁ ହାତଛଡ଼ା କରିବାର ଇଚ୍ଛା ହୁଏନି। ତେଣୁ ପ୍ରତିଦିନ କକ୍ଷା ରେ ଯୋଗ ଦେଇ ମନଯୋଗ ସହକାରେ ଶିକ୍ଷା କରେ ।
ଅତ୍ୟନ୍ତ ହୃଦୟସ୍ପର୍ଶୀ, ଉତ୍ସାହପ୍ରଦ ଓ ଚମତ୍କାର ଶୈକ୍ଷିକ ବାତାବରଣ ମଧ୍ୟରେ ପରବର୍ତ୍ତୀ ସ୍ତରରେ ଯୋଗ ଦିଏ । ଟ୍ରେନର୍ ଦିଦି ଓ ଭାଇଙ୍କର ଶିଖାଇବାର ଚମତ୍କାର ଶୈଳୀ ମୋତେ ମନ୍ତ୍ରମୁଗ୍ଧ କରୁଥାଏ । ଦ୍ୱିତୀୟ ସ୍ତର(L2) ର ଶିକ୍ଷାର୍ଥୀ ଥିବା ସମୟରେ ଗ୍ରୁପ୍ ର ଟ୍ରେନର୍ ଶ୍ରୀମତୀ ମିନଲ୍ ଶାରଦା ଓ TA ଦିଦି ଙ୍କର କେଇପଦ ଉତ୍ସାହପ୍ରଦ ଓ ପ୍ରେରଣାପ୍ରଦ କଥା ମୋତେ ଏକ ଟ୍ରେନର୍ ରୂପେ ଗଢିତୋଳିବାରେ ସହାୟକ ହୁଏ । ଏପରି ଭାବେ ଜଣେ ଶିକ୍ଷାର୍ଥୀ ତଥା ଟ୍ରେନର୍ ରୂପେ ଗୀତା ଯାତ୍ରା ଅତୀବ ମନୋରମ ଓ ଅନୁଭୂତି ପୂର୍ଣ୍ଣ ବାତାବରଣ ସୃଷ୍ଟି କରେ । ପରମପୂଜ୍ୟ ଗୁରୁଦେବ ଓ ଭଗବାନ ଙ୍କ ଅପାର କରୁଣା ରୁ ଏହି ଯାତ୍ରା ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି । ବର୍ତ୍ତମାନ ଅନେକ ଶିକ୍ଷାର୍ଥୀ, ଅନୁଭୂତି ସମ୍ପନ୍ନ ଟ୍ରେନର ତଥା ଅନ୍ୟାନ୍ୟ ସେବୀ ମାନଙ୍କୁ ନେଇ ଓଡ଼ିଶା ଗୀତା ପରିବାର ର କଳେବର ବୃଦ୍ଧି ପାଇଛି। ଓଡ଼ିଶା ଗୀତା ମୈତ୍ରୀ ମିଳନ ଉତ୍ସବରେ ପରିବାରର ଅନେକ ସିନିୟର୍ କାର୍ଯ୍ୟକର୍ତ୍ତା ଙ୍କୁ ସାକ୍ଷାତ କରିବା ତଥା ଅମୂଲ୍ୟ ଗୀତା ଉପଦେଶ ସାଉଁଟି ବାର ନିଆରା ଅନୁଭୂତି ଚିରସ୍ମରଣୀୟ ହୋଇ ରହିଥିବ।
- Sonali Pati, Odisa
